ଅଶ୍ଳୀଳ କମେଣ୍ଟମରାକୁ ନେଇ ଯୁବକଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ

by livenewstv
0 comments

ଅଶ୍ଳୀଳ କମେଣ୍ଟମରାକୁ ନେଇ ଯୁବକଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ଘଟଣା

୩ଜଣ ଫେରାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି

ଏସପିଙ୍କୁ ଭେଟିଲେ ପରିବାର ଲୋକେ ଓ କଂଗ୍ରେସ ପ୍ରତିନିଧି ଦଳ

ମୁଖ୍ୟ ଅଭିଯୁକ୍ତ ବିଜେପି କର୍ମୀ ସହ ବଡ଼ସାହି ବିଧାୟକଙ୍କ ସହଯୋଗୀ: କଂଗ୍ରେସ

ବୈଶିଙ୍ଗା ଥାନା ଅଞ୍ଚଳରେ ଅଶ୍ଳୀଳ କମେଣ୍ଟମରାକୁ କେନ୍ଦ୍ର କରି ବିଚ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାରେ ସମ୍ପୃକ୍ତ ୩ଜଣ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ତାଙ୍କୁ ପୁଲିସ ଗିରଫ କରିନାହିଁ। ଯାହାକୁ ନେଇ ପରିବାର ଲୋକେ ଓ କଂଗ୍ରେସର ପ୍ରତିନିଧି ଦଳ ଶନିବାର ଏସପି ବରୁଣ ଗୁଣ୍ଟୁପାଲିଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି। ବୈଶିଙ୍ଗା ଥାନା, ପୁରୁଣିଆ ଗାଁର କାର୍ତ୍ତିକ ପାଢ଼ୀ, ତାଙ୍କ ଭାଇ, ମା’ ଓ ସ୍ତ୍ରୀଙ୍କୁ ଅଶ୍ଳୀଳ କମେଣ୍ଟ ମାରିବାକୁ କେନ୍ଦ୍ର କରି ଥାନାକୁ ଏତଲା ଦେବାକୁ ଯାଉଥିଲେ। ପୁରୁଣିଆ ନିକଟ ଡାଳଭଙ୍ଗା ଛକରେ ଦୁଇଭାଇଙ୍କୁ କିଛି ଦୁର୍ବୁତ୍ତ ସଂଘବଦ୍ଧ ଭାବେ ଧାରୁଆ ମାରଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଘଟଣାରେ କାର୍ତ୍ତିକ ପାଢ଼ୀ ଗୁରୁତର ଆହତ ହୋଇ ପ୍ରଥମେ ବାଲେଶ୍ୱର ହସ୍ପିଟାଲ ଭର୍ତ୍ତି ହୋଇଥିଲେ I ପରେ ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏନେଇ ବୈଶିଙ୍ଗା ପୁଲିସ ଏକ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଛନ୍ତି। ଏହି ଘଟଣାର ଅନ୍ୟ ୩ଜଣ ମୁଖ୍ୟ ଅଭିଯୁକ୍ତ ଆକାଶ ମହାନ୍ତି, ସଞ୍ଜୟ ବେହେରା ଓ ଜଗା ବେହେରା ସମେତ ଅନ୍ୟ ସହଯୋଗୀଙ୍କୁ ପୁଲିସ ଗିରଫ କରୁନଥିବା ଅଭିଯୋଗ ହୋଇଛି। ସେମାନେ ଫେରାର ଥିବା ନେଇ ବୈଶିଙ୍ଗା ପୁଲିସ କହୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଅଭିଯୁକ୍ତ ମାନେ ବୁଲୁଥିବା ଲିଖିତ ଅଭିଯୋଗରେ ଦର୍ଶାଯାଇଛି। ବୈଶିଙ୍ଗା ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପଛ ଗୁଞ୍ଚା ଦେଉଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ନ୍ୟାୟ ପାଇବା ପାଇଁ ଏସପିଙ୍କୁ ଭେଟି ଗୁହାରି ଜଣାଇଛନ୍ତି। ନ୍ୟାୟ ନମିଳିଲେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି। ସେହିପରି କଂଗ୍ରେସ ପ୍ରତିନିଧି ଦଳ ଜିଲ୍ଲା ସଂଯୋଜକ ଅରବିନ୍ଦ ଦାସଙ୍କ ନେତୃତ୍ୱରେ ଏସପିଙ୍କୁ ଭେଟି ଉକ୍ତ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ମୂଖ୍ୟ ଅଭିଯୁକ୍ତ ମାନେ ବିଜେପି କର୍ମୀ ହୋଇଥିବା ବେଳେ ବଡ଼ସାହି ବିଧାୟକଙ୍କ ସହଯୋଗୀ ବୋଲି କଂଗ୍ରେସ୍‌ ଦାବି କରିଛି। ତେଣୁକରି ପରିବାର ଲୋକେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବୈଶିଙ୍ଗା ଥାନା ଅଧିକାରୀ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ବିଜେପି କର୍ମୀଙ୍କ ଏହିପରି ଅପରାଧିକ କାର୍ଯ୍ୟକଳାପକୁ କଂଗ୍ରେସ ନିନ୍ଦା କରିଛି। ପୁଲିସ ପକ୍ଷରୁ ତୁରନ୍ତ ନ୍ୟାୟ ପ୍ରଦାନ ନକରିଲେ କଂଗ୍ରେସ ଦଳ ଆଗାମୀ ଦିନରେ ବୈଶିଙ୍ଗା ଥାନା ଓ ଏସପି କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

You may also like

© Copyright Live News TV 2025. All rights reserved.

Designed and Developed by Web Odisha