ଜୈବବିବିଧତାର ସୁରକ୍ଷା ସହ ସୁସ୍ଥ ପରିବେଶ ଗଠନର ଆହ୍ୱାନ

by livenewstv
0 comments

ଦେଶର ଅର୍ଥନୈତିକ ବିକାଶ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଜଙ୍ଗଲର ଯଥେଷ୍ଟ ଭୂମିକା ରହିଛି। ଆଗାମୀ ପିଢ଼ି ନିମନ୍ତେ ଜୈବବିବିଧତାର ସୁରକ୍ଷାକୁ ନିଶ୍ଚିତ କରିବାକୁ, ସଂରକ୍ଷଣ ନୀତିକୁ ସୁଦୃଢ଼ କରିବା ଏକ ଆହ୍ୱାନ । ମନୁଷ୍ୟ ଉଭୟ ପରିବେଶ ଓ ପ୍ରକୃତିକୁ ଧ୍ୱଂସ କରିଚାଲିଛି । ପ୍ରଗତି ଓ ଶିଳ୍ପାୟନ ନାମରେ ବ୍ୟାପକ ଭାବେ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ଲାଭ ଓ ଲୋଭ ଶିଳ୍ପାୟନର ମୂଳକଥା ହୋଇଥିବାରୁ ପ୍ରକୃତି ସହିତ ମିତ୍ରତା କରି ବଞ୍ଚିବା ପରିବର୍ତ୍ତେ, ପ୍ରକୃତିର ଦୋହନକୁ ମାଧ୍ୟମ କରି ଆଗକୁ ବଢ଼ିବାର ପ୍ରତିଯୋଗିତା ଚାଲିଛି । ମଣିଷର ଏହି ଅପରିଣାମଦର୍ଶିତା ପାଇଁ ଧ୍ବଂସ ପାଉଛି ହଜାର ହଜାର ହେକ୍ଟର ସବୁଜ ବନାନୀ। ଜଳବାୟୁ ବଦଳିବା ସାଙ୍ଗକୁ ଋତୁଚକ୍ରରେ ମଧ୍ୟ ବିଭ୍ରାଟ ଆସୁଛି।

ଜଙ୍ଗଲ ଏବଂ ଏହାର ଚତୁପାର୍ଶ୍ୱରେ ଦେଖାଯାଇଥିବା ବାଘ, ସିଂହ, ହାତୀ, କୁଟୁରା, ବରାହ, ସମ୍ବର, ହରିଣ, ଗୟଳ, ବାଦୁଡି, ଶାଗୁଣା, ମୟୂର, ହଳଦୀବସନ୍ତ, ବାୟା ଚଢେଇ, ପେଚା, ଘରଚଟିଆ ଇତ୍ୟାଦିଙ୍କ ସଂଖ୍ୟା କ୍ରମାଗତ ଭାବେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏପରିକି ଏମାନଙ୍କ ମଧ୍ୟରୁ କିଛି ପ୍ରଜାତି ସମ୍ପୂର୍ଣ୍ଣ ଭାବେ ଲୋପ ପାଇଗଲେଣି । ଚାଷ ଜମିରେ ଅଧିକ ଫସଲ ଉତ୍ପାଦନ କରିବା ପାଇଁ ଅଧିକ ମାତ୍ରାରେ ରାସାୟନିକ ସାର ଓ କୀଟନାଶକ ଔଷଧର ବହୁଳ ପ୍ରୟୋଗ ଦ୍ୱାରା ଗୋସମ୍ପଦ ଆଜି ବିପଦଗ୍ରସ୍ତ । ଠିକ୍ ସେହିପରି ମଣିଷ ପାଇଁ ମହୁ ତିଆରି କରୁଥିବା ଏବଂ ପରାଗସଙ୍ଗମ ଦ୍ୱାରା ସମସ୍ତ ପ୍ରକାର ଫସଲ ଉତ୍ପାଦନରେ ସାହାଯ୍ୟ କରୁଥିବା ମହୁମାଛିଙ୍କ ଅବସ୍ଥା ଆଜି ବିପନ୍ନରେ ।

ବର୍ଦ୍ଧିତ ସହରୀକରଣ, ଦ୍ରୁତ ଶିଳ୍ପାୟନ ଏବଂ କୃଷିର ପ୍ରସାର ତଥା ଭିତ୍ତିଭୂମି ବିକାଶ ଉଦ୍ଦେଶ୍ୟରେ ଭୂମିର ରୂପାନ୍ତରଣ ଏବେ ୫୩% ରେ ପହଞ୍ଚିଥିବାରୁ, ଏସବୁ ପ୍ରକ୍ରିୟାରେ ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେବା ଏବଂ ପରିସଂସ୍ଥା ବିଖଣ୍ଡିତ ହେବା ଜୈବବିବିଧତା ପାଇଁ ବିପଦ ସୃଷ୍ଟିର କାରଣ ପାଲଟୁଛି । ବିଶ୍ୱସ୍ତରରେ ପ୍ରକୃତି ସଂରକ୍ଷଣ ସୂଚକାଙ୍କ ଇସ୍ରାଏଲର ନେଗେଭ୍‌ସ୍ଥ ବେନ୍‌-ଗୁରିଅନ୍‌ ବିଶ୍ୱବିଦ୍ୟାଳୟର ‘ଗୋଲ୍ଡମ୍ୟାନ୍‌ ସୋନେନଫେଲ୍ଡ ସ୍କୁଲ୍‌ ଅଫ୍‌ ସଷ୍ଟେନେବିଲିଟି ଆଣ୍ଡ କ୍ଲାଇମେଟ୍‌ ଚେଞ୍ଜ୍‌’ ଏବଂ ଏକ ଅଣ-ଲାଭକରୀ ୱେବ୍‌ସାଇଟ୍‌ ‘ବାୟାଡିବି’ ଆନୁକୂଲ୍ୟରେ ପ୍ରକାଶିତ ହୋଇଛି । ପରିତାପର ବିଷୟ ହେଉଛି ଯେ ସମଗ୍ର ବିଶ୍ୱର ୧୮୦ଟି ରାଷ୍ଟ୍ରକୁ ନେଇ ପ୍ରସ୍ତୁତ ତାଲିକା ମଧ୍ୟରେ ଭାରତର ସ୍ଥାନ ନିମ୍ନଭାଗରେ ୧୭୬ରେ ରହିଛି, ଯାହାର ପରବର୍ତ୍ତୀ କ୍ରମରେ ରହିଛନ୍ତି ମାଇକ୍ରୋନେସିଆ (୧୭୭), ଇରାକ (୧୭୮), ତୁର୍କୀ (୧୭୯) ଏବଂ କିରିବାଟି (୧୮୦) । ଏହି ତାଲିକାରେ ସ୍ୱଳ୍ପ ନମ୍ବର ହାସଲ ନିମନ୍ତେ ମୁଖ୍ୟତଃ ଗୋଟିଏ ରାଷ୍ଟ୍ରରେ ଜୈବବିବିଧତା ପ୍ରତି ଥିବା ବିପଦ ଏବଂ ଭୂମିର ଅପାରଗ ପରିଚାଳନାକୁ ଦାୟୀ କରାଯାଇଛି ।

ପରିବେଶ ଅବକ୍ଷୟକୁ ରୋକିବାକୁ ହେଲେ ଆମକୁ ଜୈବିକ କୃଷିକୁ ଆପଣେଇବାକୁ ପଡ଼ିବ। ପଞ୍ଚାୟତସ୍ତର ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବନୀକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କଲେ, ଜୈବବିବିଧତାର ସୁରକ୍ଷା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି ହୋଇପାରିବ। ଏଥିପାଇଁ ଜନସଚେତନତାର ମଧ୍ୟ ଆବଶ୍ୟକତା ରହିଛି। ପ୍ରକୃତି ସଂରକ୍ଷଣର ଭବିଷ୍ୟତ ସରକାରୀ ସଂସ୍ଥା, ସ୍ଥାନୀୟ ସମ୍ପ୍ରଦାୟ, ବେସରକାରୀ ସଂଗଠନ ଏବଂ ଘରୋଇ କ୍ଷେତ୍ରମାନଙ୍କର ମିଳିତ ପ୍ରୟାସ ଉପରେ ନିର୍ଭରଶୀଳ । ପ୍ରତିବଦ୍ଧତା ହିଁ ଏହାର ଅମେଘ ଅସ୍ତ୍ର ।

କମଳଲୋଚନ ପଣ୍ଡା
ଗ୍ରନ୍ଥାଗାର ସହାୟକ, ଫକୀରମୋହନ ବିଶ୍ୱବିଦ୍ୟାଳୟ
ଦୂରଭାଷ: ୭୩୨୭୦୨୮୯୭୮

You may also like

© Copyright Live News TV 2025. All rights reserved.

Designed and Developed by Web Odisha