ଶଙ୍ଖାଭଙ୍ଗା ଗ୍ରାମରେ ଗୋ ମାଂସ ବିକ୍ରିକୁ ନେଇ ଆସିଛି ସଙ୍ଗୀନ ଅଭିଯୋଗ

by livenewstv
0 comments

ବାରିପଦା ସଦର ଥାନା ଅନ୍ତର୍ଗତ ଶଙ୍ଖାଭଙ୍ଗା ଗ୍ରାମରେ ଗୋ ମାଂସ ବିକ୍ରିକୁ ନେଇ ଆସିଛି ସଙ୍ଗୀନ ଅଭିଯୋଗ। ଯାହାକୁ ନେଇ ଗ୍ରାମବାସୀ ଓ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଗ୍ରାମର ପଣ୍ଡିତ ରଘୁନାଥ ମୁର୍ମୁ ମେମୋରିଆଲ କ୍ଲବ ଆନୁକୂଲ୍ୟରେ ବାର୍ଷିକ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିଲା। ସେଠାରେ ଗ୍ରାମବାସୀ ମାନେ ମାଂସ ରୋଷେଇ କରୁଥିବା ବେଳେ ତାହା ଗୋ ମାଂସ ବୋଲି କିଛି ଲୋକେ ଅଭିଯୋଗ କରିଥିଲେ। ଯାହାକୁ ନେଇ ଗ୍ରାମବାସୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଗଣ୍ଡଗୋଳ ହେବାରୁ ଘଟଣାସ୍ଥଳରେ ବାରିପଦା ସଦର ଥାନା ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଅଭିଯୋଗକ୍ରମେ ୬ଜଣ ଗ୍ରାମବାସୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି। ସେମାନେ ହେଲେ ଚାନ୍ଦୁଆ ଥାନା ଅନ୍ତର୍ଗତ କୁଆବୁଡା ଗ୍ରାମର ଲକ୍ଷ୍ମଣ ମାର୍ଣ୍ଡି(୧୯), କେଉଟଣମାରି ଗ୍ରାମର ଦୁଲାରୀ ମୁର୍ମୁ(୪୦), ବଡ଼ସାହି ଥାନା ଅନ୍ତର୍ଗତ ଡୁକୁରା ଗ୍ରାମର ମକରା ମୁର୍ମୁ(୩୦), ଶଙ୍ଖାଭଙ୍ଗା ଗ୍ରାମର ଗୋପୀନାଥ ମାର୍ଣ୍ଡି(୨୫), ମୋରଡା ଥାନା ଅନ୍ତର୍ଗତ ଇଟାପୋଖରୀର ଗ୍ରାମର ଚମ୍ପା କିସ୍କୁ(୧୯) ଓ ପୁଣ୍ଟୁ ମାର୍ଣ୍ଡି(୪୫)। ଅନ୍ୟପଟେ ପଶ୍ଚିମବଙ୍ଗ ଅଞ୍ଚଳରୁ ଜଣେ ବ୍ୟକ୍ତି ଗୋ ମାଂସ ଆଣି ଶଙ୍ଖାଭଙ୍ଗା ପଡ଼ିଆ ନିକଟରେ ବିକ୍ରି କରୁଥିବାର ସ୍ୱୀକାର କରିଛନ୍ତି। ତେବେ ତାଙ୍କ ଠାରୁ ମାଂସ କିଣି ରୋଷେଇ କରୁଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାରେ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

You may also like

© Copyright Live News TV 2025. All rights reserved.

Designed and Developed by Web Odisha