ଆଜିର ଅନୁଚିନ୍ତା

by livenewstv
0 comments

ସୂର୍ଯ୍ୟଙ୍କ ପରି ବିଷ୍ଣୁଙ୍କର ମଧ୍ୟ ବାରମାସରେ ବାରଟି ନାଆଁ ଅଛି। ସେହି ଅନୁସାରେ, ତାଙ୍କର ମାର୍ଗଶିର ମାସର ନାଆଁ ‘କେଶବ’। ମାର୍ଗଶିର ମାସରେ ସେ କେଶବ ନାମରେ ପୂଜିତ ହୁଅନ୍ତି। କାରଣ, କେଶବ ନାମଧାରୀ ବିଷ୍ଣୁ ଏହି ମାସର ଅଧିପତି। ସେଥିପାଇଁ ଶ୍ରୀଜଗନ୍ନାଥଙ୍କର ମାର୍ଗଶିର ମାସର ନାଆଁ ବି କେଶବ। ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି- ମୁଁ ମାସମାନଙ୍କ ମଧ୍ୟରେ ମାର୍ଗଶିର। ଏଣୁ ମାର୍ଗଶିର ମାସର ଅନ୍ୟନାମ ମଧ୍ୟ କେଶବ।

କେଶବ ନାମର ଅନେକ ତାତ୍ପର୍ଯ୍ୟ ଅଛି। ଏହାର ଅର୍ଥ, ପ୍ରଶସ୍ତ କେଶବିଶିଷ୍ଟ। ଏହା ବିଷ୍ଣୁ ଓ କୃଷ୍ଣ ଉଭୟଙ୍କୁ ବୁଝାଏ। କାରଣ, ବିଷ୍ଣୁ ଓ କୃଷ୍ଣ ସୁନ୍ଦର କେଶଗୁଚ୍ଛର ଅଧିକାରୀ। ପୁଣି, କେଶୀ ନାମକ ଅସୁରକୁ ବଧ କରିଥିବାରୁ, କୃଷ୍ଣଙ୍କ ନାମ କେଶବ। ତେବେ କେଶବ କହିଲେ ପରମେଶ୍ୱରଙ୍କୁ ହିଁ ବୁଝାଏ।
‘ମହାଭାରତ’ର ‘ଶାନ୍ତିପର୍ବ’ରେ କେଶବ ନାମର ଅନ୍ୟ ଏକ ତାତ୍ପର୍ଯ୍ୟ ବିଷୟରେ ଉଲ୍ଲେଖ ଅଛି। ବିଷ୍ଣୁଙ୍କୁ କରିଥିବା ଏକ ପ୍ରାର୍ଥନାରେ ବ୍ରହ୍ମା କହିଛନ୍ତି- ମୁଁ ଓ ଶିବ ଆପଣଙ୍କଠାରୁ ଜାତ; ଏଣୁ ଆପଣଙ୍କର ନାଆଁ କେଶବ।

‘ଶ୍ରୀହରିବଂଶପୁରାଣ’ର ଭବିଷ୍ୟପର୍ବ, ୮୯ ଅଧ୍ୟାୟରେ ମଧ୍ୟ ଶିବଙ୍କ ମୁଖରେ ଏହି କଥା କୁହାଯାଇଛି। ତାହା ହେଉଛି- ‘କ’ ଅର୍ଥାତ୍ ବ୍ରହ୍ମା ଓ ଶିବ- ଆମେ ଦୁହେଁ ସମସ୍ତ ଦେହଧାରୀଙ୍କର ସ୍ୱାମୀ; କିନ୍ତୁ ଆମେ ଦୁହେଁ ଆପଣଙ୍କଠାରୁ ହିଁ ଉତ୍ପନ୍ନ ହୋଇଛୁ। ଏଣୁ ଆପଣଙ୍କର ନାମ ‘କେଶବ’। ଏହା ‘କେଶବ’ ନାମର ବିଶେଷତ୍ୱ ସୂଚାଏ। ‘କେଶବ’ ମାର୍ଗଶିର ମାସର ଅଧିପତି ହୋଇଥିବାରୁ, ଏଥିରୁ ମଧ୍ୟ ମାର୍ଗଶିର ମାସର ମହତ୍ତ୍ୱ ସୂଚିତ ହୁଏ।

You may also like

© Copyright Live News TV 2025. All rights reserved.

Designed and Developed by Web Odisha