ଆଜି ଶ୍ରୀମନ୍ଦିରକୁ ସାତପୁରୀ ତାଡ଼ ବିଜେ

by livenewstv
0 comments

ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ସେଥିପାଇଁ ଆଜି ଶ୍ରୀମନ୍ଦିରର ସ୍ଵତ୍ତ୍ୱଲିପି ଅନୁଯାୟୀ ଅଠରନଳା ସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ଅମାବାସ୍ୟା ତାଡ଼ ବିଜେ କରାଯାଏ । ମଧ୍ୟାହ୍ନ ଧୂପ ସରିବା ପରେ କୁମ୍ଭକାରମାନେ ନୂତନ ବସ୍ତ୍ର ପରିଧାନ କରି ସାତପୁରି ଘେନାଣ ନିମନ୍ତେ ଶ୍ରୀମନ୍ଦିରରୁ ଘଣ୍ଟ ଛତା କାହାଳୀ ସହିତ ଅଠରନଳା ସ୍ଥିତ ଆଲାମଚଣ୍ଡୀ ମନ୍ଦିରକୁ ଯାଆନ୍ତି । ସେଠାରେ ପୂର୍ବରୁ କୁମ୍ଭକାର ସେବକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଚାରିଗୋଟି ତାଡ଼ ମାଙ୍କ ନିକଟରେ ରଖା ଯାଏ । କୁମ୍ଭକାର ନିଯୋଗ ର ଇଷ୍ଟଦେବୀ ମା ଅଲାମଚଣ୍ଡିଙ୍କୁ ଶୀତଳଭୋଗ ମଣୋହୀ କରାଯିବା ପରେ କୁମ୍ଭକାର ସେବକ ମାନେ ମାଙ୍କ ନିକଟରେ ଥିବା ଚାରିଗୋଟି ତାଡ଼କୁ ବନ୍ଦାପନା କରନ୍ତି । ବନ୍ଦାପନା ସମ୍ପନ୍ନ ହେବା ଉତାରେ ବିଜେ କାହାଳୀ ବାଜି ତାଡ଼ ଗୁଡିକ ଶ୍ରୀମନ୍ଦିରକୁ ବିଜେ ହୁଏ।ବଡ଼ଠାକୁର ବଳଭଦ୍ର , ମା ସୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନିମନ୍ତେ ଗୋଟିଏ ଲେଖାଏଁ ତାଡ଼ ସହ ଗୋଟିଏ ଅତିରିକ୍ତ ତାଡ଼ ଶ୍ରୀମନ୍ଦିରକୁ ବିଜେ ହୁଏ । କୁମ୍ଭକାର ସେବକ ମାନେ ମୁହଁରେ ବାଘତୁଣ୍ଡି ଭିଡି ତାଡ଼ ଗୁଡିକୁ ନେଇ ଶ୍ରୀମନ୍ଦିରକୁ ଆସନ୍ତି । ବେଢ଼ା ଏକ ଥର ବୁଲାଯିବା ପରେ ତାଡ଼ ରୋଷ ବେହରଣଠାରେ ରଖାଯାଏ । ସଂଧ୍ୟାଧୂପ ପରେ ଜଣେ ପୂଜାପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଘଣ୍ଟ, ଛତା, କାହାଳୀ ସହ ଦକ୍ଷିଣକାଳୀ ମନ୍ଦିରକୁ ଯାଆନ୍ତି । ଦକ୍ଷିଣକାଳୀଙ୍କ ସେବକ ତାଙ୍କଠାରୁ ଆଜ୍ଞାମାଳ ନେଇ ଶ୍ରୀମନ୍ଦିର ଆସି ସିଂହଦ୍ବାର ଦେଇ ରୋଷଦ୍ବାର ବାହାର ପାଶେ ଆଜ୍ଞାମାଳ ରୋଷଆଡ଼େ ଦେବେ । ଏହା ପରେ ଅନ୍ୟାନ୍ୟ ନୀତି ହେବ ।

ବ୍ରହ୍ମୋଉବାଚ

ତ୍ରୟୋଦଶ୍ୟାଂ ତିଥୌ ରାଜନ୍ନାଚାର୍ଯ୍ୟୋ ଜଗତାଂ ପତେଃ ।
ତୃତୀୟକାଳପୂଜାଂ ଚ କୁର୍ଯ୍ୟାତ୍ପରମଭକ୍ତିତଂ ।।୧ ।।

ବ୍ରହ୍ମା କହିଲେ – ହେ ରାଜନ୍ ! ତ୍ରୟୋଦଶୀ ତିଥିରେ ଆଚାର୍ଯ୍ୟ ପ୍ରବର ଜଗନ୍ନାଥଙ୍କର ତୃତୀୟ କାଳର ପୁଜା ପରମଭକ୍ତି ସହକାରେ ସଂପାଦନ କରିବେ ।

ତଦନ୍ତେ ଜଗଦୀଶାଙ୍ଗାଦାଜ୍ଞାମାଳାଂ ସୁମଞ୍ଜୁଳାମ୍ ।
ଘଣ୍ଟାନାଂ ମର୍ଦ୍ଦଳାନାଂ ଚ କାହାଳକାଂସ୍ୟତାଳୟୋଃ ।।୨ ।।
ନିଃସ୍ୱନେ ଜାୟମାନେଽଥ ଛତ୍ରଚାମରଜୃମ୍ଭଣେ ।
ମହୋତ୍ସବତୟା ତାଂ ତୁ ଗୃହୀତ୍ଵ କାଳିକାନ୍ତିକମ୍ ।।୩।।

ତାହାପରେ ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ସୁମଞ୍ଜୁଳ ଆଜ୍ଞାମାଳ ଆଣି ଘଣ୍ଟା, ମର୍ଦ୍ଦଳ, କାହାଳୀ, ଘଣ୍ଟଧ୍ୱନି ସହିତ ଛତ୍ର ଚାମର ଧରି ମହୋତ୍ସବ ମଧ୍ୟରେ ତାହାକୁ ନେଇ କାଳିକାଙ୍କ ନିକଟକୁ ଯିବ।

ଗଚ୍ଛେତ୍ତତ୍ର ତଦା କାଳୀଂ ପ୍ରାର୍ଥୟେନ୍ନୃପସତ୍ତମ ।
କାଳରାତ୍ରି ନମସ୍ତୁଭ୍ୟଂ ସର୍ବବିଘ୍ନବିନାଶିନି ।I ୪ I।

ହେ ନୃପ ! ସେଠାକୁ ଯାଇ କାଳୀଙ୍କୁ ପ୍ରାର୍ଥନା କରିବ । ହେ କାଳରାତ୍ରି ! ହେ ସକଳ ବିଶ୍ବର ବିନାଶକାରିଣି ! ତୁମ୍ଭଙ୍କୁ ନମସ୍କାର ।

ତ୍ୱଂ ବିଷ୍ଣୁବଲ୍ଲଭା ନିତ୍ୟମାଜ୍ଞାଂ କୁରୁ ଜଗତ୍ପତେଃ ।
ପାକଶାଳାଂ ସମାଗଚ୍ଛ ଶ୍ରୀଘ୍ରମେବଂ ଶୁଭେଽଧୁନା ।।୫ ।।

ତୁମ୍ଭେ ବିଷ୍ଣୁଙ୍କର ପ୍ରିୟପତ୍ନୀ ଅଟ । ଜଗନ୍ନାଥଙ୍କର ଏହି ଆଜ୍ଞାରେ ବର୍ତ୍ତମାନ ଶୁଭସମୟରେ ପାକଶାଳାକୁ ଶୀଘ୍ର ଆସିବା ହେଉ ।

ଅମାବାସ୍ୟାଦନିଂ ପ୍ରାପ୍ୟ ନୈବେଦ୍ୟେ ବିଘ୍ନନାଶିନି ।
ତତ୍ପରା ଭବ ହେ ମାତ ନମସ୍ତୁଭ୍ୟଂ ସୁରେଶ୍ଵରି ।। ୬ ।।

ହେ ବିଘ୍ନନାଶିନି ! ଅମାବାସ୍ୟା ଦିନ ନୈବେଦ୍ୟ ପ୍ରସ୍ତୁତି ନିମନ୍ତେ ତୁମ୍ଭେ ତତ୍ପର ହୁଅ । ହେ ସୁରେଶ୍ଵରି ! ହେ ମାତଃ ! ତୁମ୍ଭକୁ ପ୍ରଣିପାତ ଜଣାଉଛି ।

ଇତ୍ୟୁଚାର୍ଯ୍ୟ ଚ ତାଂ ମାଳାଂ କାଳରାତ୍ରିଂ ସମର୍ପୟେତ୍।
ତସ୍ୟା ମାଳାଂ ସମାନୀୟ ପାକଶାଳାନ୍ତରେ ପୁନଃ।। ୭।।

ଏହା କହି ଉକ୍ତ ଆଜ୍ଞାମାଳକୁ କାଳରାତ୍ରୀଙ୍କୁ ସମର୍ପଣ କରିବ। ତାହାପରେ ସେହି ମାଳାକୁ ଆଣି ପାକଶାଳା ମଧ୍ୟରେ କୌଣସି ଏକ ସୁନିଶ୍ଚିତ ସ୍ଥାନରେ ରଖିବ।

You may also like

© Copyright Live News TV 2025. All rights reserved.

Designed and Developed by Web Odisha